କ୍ୟାନସର ହସ୍ପିଟାଲ ପାଇଁ ସର୍ବସ୍ଵ ଦାନକଲେ ଡାକ୍ତର

କ୍ୟାନସର ହସ୍ପିଟାଲ ପାଇଁ ସର୍ବସ୍ଵ ଦାନକଲେ ଡାକ୍ତର

Sunday August 28, 2016,

2 min Read

ଆଜିର ଦୁନିଆରେ ଏମିତି କେତେକ ଲୋକ ଅଛନ୍ତି ଯେଉଁ ମାନଙ୍କ ସେବାଭାବ ଓ ସହାୟତା ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ । ସେମାନେ ଅନ୍ୟର ଦୁଃଖରେ ଭାଗୀଦାରୀ ହୁଅନ୍ତି । ସହଯୋଗର ହାତ ବଢାନ୍ତି । ସେମିତି ଜଣେ ମଣିଷ ହେଲେ ରାଉରକେଲା ସିଭିଲଟାଉନସିପ୍ ର ଡାକ୍ତର ସୀତାକାନ୍ତ ଘୋଷ । ପେଷାରେ ଶଲ୍ୟ ଚିକିତ୍ସକ । ନିଶା କିନ୍ତୁ ଗରିବ ଲୋକଙ୍କ ସେବା । ୩୯ ବର୍ଷ ଧରି ରୋଗୀଙ୍କ ସେବା କରି ଆସୁଥିବା ଏହି ଡାକ୍ତର ଜଣକ ଗତ ମାର୍ଚ୍ଚ ମାସରେ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଭାରତ ସେବା ସଂଘକୁ ତାଙ୍କର ସର୍ବସ୍ଵ ଦାନ କରିଦେଛନ୍ତି । ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ସେ ସିଭିଲଟାଉନସ୍ଥିତ ୨୫ ଡିସିମାଲ ଜମି ସହ ୨ ମହଲା ବିଲ୍ଡିଡିଂ ଓ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ତାଙ୍କ ଦାନରେ ବେଦବ୍ୟାସ ଗୋପପାଲିରେ ପ୍ରତିଷ୍ଠା ହେଇଛି ପୁଷ୍ପାଞ୍ଜଳି କ୍ୟାନସର ଫାଉଣ୍ଡେସନ ପକ୍ଷରୁ ହସପିଟାଲ । 

ଏବେ ସିଭିଲଟାଉନସିପସ୍ଥିତ ଲାଇଫ ଲାଇନ ଘରେଇ ହସ୍ପିଟାଲରେ ରୋଗୀମାନଙ୍କୁ ଚିକିସ୍ଛା କରୁଛନ୍ତି ସୀତାକାନ୍ତ । ଆଜି ନ ହେଲେ କାଲି ଆର ପାରିକୁ ଚାଲିଜିବି । ହେଲେ ମୋର ଦାନ ନିଶ୍ଚିତ ଭାବେ ଗରିବ କ୍ୟାନସର ପୀଡିତଙ୍କ ମୁହଁରେ ହସ ଫୁଟାଇବ ବୋଲି ବିଶ୍ଵାସ ରହିଛି କୁହନ୍ତି ସେ । କଟକ ସହର ନିମଚଉରୀର ସୀତାକାନ୍ତ ଇଂଲଣ୍ଡରୁ ଡାକ୍ତରୀ ପାସ କରିବା ପରେ ୧୯୬୭ ରେ ରାଉରକେଲାସ୍ଥିତ ଇସ୍ପାତ ଜେନରାଲ ହସ୍ପିଟାଲ (ଆଇଜିଏଚ୍)ରୁ ପ୍ରଥମେ ଡାକ୍ତର ଜୀବନ ଆରମ୍ଭ କରିଥିଲେ । ସେଠାରେ ୧ ବର୍ଷ ୩ ମାସ ସେବା କରିବା ପରେ ୧୯୬୯ ରେ ନୂଆଙ୍ଗାସ୍ଥିତ ମିଶନ ହସ୍ପିଟାଲରେ ଯୋଗଦେଥିଲେ । ତାଙ୍କ ପତ୍ନୀ ବିଣା ଘୋଷ ମଧ୍ୟ ଆଇଜିଏଚ୍ ରେ ଆନେସ୍ଥ୍ହେସିଆ ଡାକ୍ତର ଥିଲେ । 

୧୯୯୧ ରେ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୦୦୫ ରେ ତାଙ୍କର ଏକମାତ୍ର ପୁଅ ଅସ୍ଥିଶଲ୍ୟ ଡାକ୍ତର ଶୁଭକାନ୍ତ ଘୋଷ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏକମାତ୍ର ଝିଅକୁ ବିବାହ କରିଦେବା ପରେ ଏକାକୀ ହୋଇଯାଇଥିଲେ । ହସ୍ପିଟାଲରେ ଚିକିସ୍ଛା କରୁଥିବା ସମୟରେ ଗରିବ କ୍ୟାନସର ରୋଗୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଆଖି ଲୁହ ଦେଖି ତାଙ୍କ ମନ ଭିତରେ ଭିନ୍ନ ଏକ ଭାବନା ଜାତ ହୋଇଥିଲା । ସେହିଦିନଠୁ ପତ୍ନୀ ଓ ସେ ରୋଜଗାର କରିଥିବା ସମସ୍ତ ସମ୍ପତି ଓ ଅର୍ଥରେ ସୀତାକାନ୍ତ ପୁଷ୍ପାଞ୍ଜଳି କ୍ୟାନସର ଫାଉଣ୍ଡେସନ ପ୍ରତିଷ୍ଠା କରିବାକୁ ମନସ୍ଥ କରିଥିଲେ । ଏଥିପାଇଁ କାଳିକତାର ଭାରତ ସେବା ସଂଘ ନାମକ ଏକ ସଂସ୍ଥା ସହ ରାଉରକେଲାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ସଂସ୍ଥା ତାଙ୍କ ଅନୁରୋଧ ରଖି ହସ୍ପିଟାଲ ପ୍ରତିଷ୍ଠା କରିବାକୁ ସହମତି ଦେବା ପରେ ନିଜର ଅର୍ଜିତ ସମସ୍ତ ସମ୍ପତ୍ତି ଦାନ କରିଦେଥିଲେ ସୀତାକାନ୍ତ ।

ଏ ସମ୍ପର୍କରେ ଭାରତ ସେବା ସଂଘର ରାଉରକେଲା ଶାଖାର ସାଧାରଣ ସମ୍ପାଦକ ସ୍ଵାମୀ ଅମ୍ବିକାନନ୍ଦ କହିଛନ୍ତି ଯେ, ସୀତାକାନ୍ତ ତାଙ୍କର ସମସ୍ତ ସମ୍ପତ୍ତି ୨୦୧୦ ଜୁଲାଇ ଶେଷ ସପ୍ତାହରେ ଭାରତ ସେବା ସଂଘ ନାମରେ ଉଇଲପତ୍ର କରିଛନ୍ତି ।